ପଦଧ୍ବନୀ Pada Dwani Kabita Odia Lyrics

*ପଦଧ୍ବନୀ*


ପରିବେଶ ଆଜି କଳୁଷିତ ଯୋଗୁ
ବିପଦର ପଦଧ୍ବନୀ ,
ପ୍ରତି ପଦକ୍ଷେପେ ଶୁଣାଯାଏ ଭବେ
ପାରୁନ କି ଏହା ଜାଣି ।
କେରଳର ଓ୍ବାୟନାଡ଼ ଠାରେ ଆଜି
ଘଟିଲା ଯେଉଁ ପ୍ରଳୟ ,
ଶତାଧିକ ଜନ ସାଥେ ପଶୁ ପକ୍ଷୀ
ଙ୍କର ହେଲା ପ୍ରାଣ କ୍ଷୟ ।
ଆରବ ସାଗରେ ଉତ୍ତପ୍ତ ବାୟୁର
ପ୍ରଭାବରେ ଘୋର ବର୍ଷା ,
ଅତ୍ଯଧିକ ବୃଷ୍ଟି ଯୋଗୁ ଭୁସ୍ଖଳନ
ପାଇଁ ହୋଇଛି ଦୁର୍ଦ୍ଦଶା ।
ହିମ ଗ୍ଳାସିଅର ତରଳି ଯାଉଛି
ଅତ୍ଯଧିକ ଉତ୍ତାପରୁ ,
ଶ୍ରାବଣରେ ବର୍ଷା ଅଭାବ ଘଟୁଛି
ପରିବେଶ କାରଣରୁ ।
ଜଙ୍ଗଲ ଜମିର କ୍ଷୟ ଘଟୁଅଛି
ବୃକ୍ଷଶୂନ୍ଯ ହୁଏ ଧରା ,
ବର୍ଷା ଶୀତ ଆଉ ବସନ୍ତ ପ୍ରଭାବ
ଧରାରେ ପଡ଼ୁନି ପରା ।
ବର୍ଜ୍ଯଜଳ ସାଥେ ପ୍ଳାଷ୍ଟିକର ବର୍ଜ୍ଯ
ସରିତ ସାଗରେ ମିଶି ,
ଉଦ୍ଭିଦ ଜୀବ ଓ ଜଳଜୀବଙ୍କର
ଘଟାଉଛି କେତେ କ୍ଷତି ।
ଭୂତଳ ଜଳର ପରିମାଣ ହ୍ରାସ
ଉଦବେଗର କାରଣ ,
ବାତ୍ଯା ବନ୍ଯା ଭୂମିକମ୍ପ ସାଥେ ରୋଗ
ଆଦି ଯେତେ ବିଲକ୍ଷଣ ।
କେତେ ପଶୁ ପକ୍ଷୀ ବୃକ୍ଷଲତା ଆଦି
ହୋଇ ଗଲେଣି ବିଲୁପ୍ତ ,
ପ୍ରକୃତି କ୍ରମଶଃ ଭୟଙ୍କର ହୋଇ
ଦେଖାଏ ତା'ର ପ୍ରକୋପ ।
ଏତେ ପରେ ମଧ୍ଯ ଚେତୁନି ମଣିଷ
ଯୁଦ୍ଧରେ ଯାଉଛି ମାତି ,
ରାସାୟନିକ କ୍ଷେପଣାସ୍ତ୍ର ଛାଡ଼ି ସେ
ପରିବେଶ କରେ କ୍ଷତି ।
ଏବେ ବି ସମୟ ଅଛି ବନ୍ଧୁଗଣ
ହୋଇବାରେ ସଚେତନ ,
ଦୁର୍ଦ୍ଦିନର ପଦଧ୍ବନୀ ରୋକିବାକୁ
ପରିବେଶ ସଂରକ୍ଷଣ ।
ଆବର୍ଜନା ମୁକ୍ତ କରିବା ଭୂପୃଷ୍ଠ
ଜଳ ବାୟୁ ଧରି ସାଥେ ,
ପରିବେଶ ସ୍ବଚ୍ଛ ରଖି ଭଜୁଥିବା
ଆମ ସୁଖ ଆମ ହାତେ ।




ଜୟ ଶ୍ରୀଜଗନ୍ନାଥ ।
ତରୁଣ କୁମାର ମିଶ୍ର ।
ଖଣ୍ଡଗିରି ,ଭୁବନେଶ୍ବର ।
ମୋ-9853310292

Comments

Popular posts from this blog

Odia Letter English Spelling a aa and nka nkha juktakhyara